Hindi News >>Home >>Zee Odisha

Curfew in Balasore : ପୁଲିସ ଘେରରେ ବାଲେଶ୍ବର ଅନିର୍ଦ୍ଦିଷ୍ଟକାଳ ଜାରି ହେଲା କର୍ଫ୍ୟୁ

ବାଲେଶ୍ବର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି। ସାରା ସହରକୁ ଏବେ ୪୩ ପ୍ଲାଟୁନ୍ ପୁଲିସ ଫୋର୍ସ ଜଗି ରହିଛନ୍ତି। ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ରହିଥିଲେ ମଧ୍ୟ ଇଣ୍ଟରନେଟ୍‌ ବନ୍ଦ ରଖାଯାଇଛି।

Advertisement
Communal Clash in baleswar
Stop
Zee Odisha Desk|Updated: Jun 19, 2024, 09:13 AM IST

Curfew  in Balasore : ବାଲେଶ୍ବର ସୁନହଟ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘଟିତ ହିଂସାକାଣ୍ଡ ବିଭିନ୍ନ ଅଞ୍ଚଳକୁ ବ୍ୟାପିବା ପରେ ସହରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି। ସାରା ସହରକୁ ଏବେ ୪୩ ପ୍ଲାଟୁନ୍ ପୁଲିସ ଫୋର୍ସ ଜଗି ରହିଛନ୍ତି। ଆହୁରି ୬ ପ୍ଲାଟୁନ୍ କେନ୍ଦ୍ରୀୟ ଫୋର୍ସ ମଗାଯାଇଛି। ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ରହିଥିଲେ ମଧ୍ୟ ଇଣ୍ଟରନେଟ୍‌ ବନ୍ଦ ରଖାଯାଇଛି।

ବାଲେଶ୍ୱର ପୌରାଞ୍ଚଳରେ ଆଜି ମଧ୍ୟରାତ୍ର ଯାଏଁ ବଳବତ୍ତର ରହିବ କର୍ଫ୍ୟୁ। ଏନେଇ ବାଲେଶ୍ୱର ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଓଟି ରୋଡକୁ ସଂଯୋଗ କରୁଥିବା ସବୁ ରାସ୍ତା ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି କର୍ଫ୍ୟୁ କାଳରେ ଜରୁରୀ ସେବା କଟକଣା ମୁକ୍ତ ଥିବାବେଳେ, ପରୀକ୍ଷାର୍ଥୀଙ୍କ ଉପରେ କଟକଣା ଲାଗୁ ହେବନି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଆବଶ୍ୟକ ନଥିଲେ କର୍ଫ୍ୟୁ କାଳରେ ଘରୁ ପଦାକୁ ନ ବାହାରିବାକୁ ଅପିଲ୍ କରିଛି ପୁଲିସ। ସେପଟେ ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିବାବେଳେ ସ୍ଥିତି ଉପରେ ନଜର ରହିଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜି ଘଟଣାର ଅନୁଧ୍ୟାନ କରୁଥିବା ସେ କହିଛନ୍ତି।  ସହରରେ ଶାନ୍ତି ପ୍ରତିଷ୍ଠା ପାଇଁ ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ମାନସ ଦତ୍ତଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ସାମାଜିକ ସଙ୍ଗଠନ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ମଧ୍ୟ କରାଯାଇଛି।

ସୋମବାର ସହରର ଭୁଜାଖିଆ ପୀର ନିକଟରେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଫୋର୍ସ ଉପରକୁ ପଥର ମାଡ଼ ଅଭିଯୋଗ ହୋଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ଲାଠିଚାର୍ଜ କରିଥିଲା ପୁଲିସ । ଗଣ୍ଡଗୋଳରେ ୪ରୁ ୫ ଜଣ ଆହତ ହୋଇଥିବା ବେଳେ ୧୫ରୁ ୨୦ଟି ଗାଡ଼ି ଭଙ୍ଗାରୁଜା ହୋଇଛି।

ବିଳମ୍ବିତ ରାତିରେ ମଧ୍ୟ ସୁଏଲପୁର ଓ ଦପ୍ତରସାହିର ଅଞ୍ଚଳର କିଛି ସ୍ଥାନରେ ଗାଡ଼ି ଭଙ୍ଗାରୁଜା ଓ ଦୋକାନ ଆସବାବପତ୍ରରେ ନିଆଁ ଲଗାଯିବା ଭଳି ଘଟଣା ସାମ୍ନାକୁ ଆସିଥିଲା। ପୁଲିସ୍‌ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ପରସ୍ପରକୁ ଢେଲା ପଥର ମାଡ଼ କରିଥିଲେ। ଢେଲା ପଥର ମାଡ଼ରେ ସାଧାରଣ ଜନତା, ପୁଲିସ୍‌ ଓ କିଛି ଗଣମାଧ୍ୟମ ପ୍ରତିନିଧି ଆହତ ହୋଇଥିଲେ । ଏହାପରେ ସମଗ୍ର ବାଲେଶ୍ୱର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି।ଏହି ଘଟଣାରେ ଟାଉନ ଥାନାରେ ୭ଟି ମାମଲା ରୁଜୁ ହୋଇଥିବା ବେଳେ ଉଭୟ ଗୋଷ୍ଠୀର ୪୪ ଜଣଙ୍କୁ ଅଟକ ରଖାଯାଇଛି।

Read More
{}{}