Hindi News >>Home >>Balasore

SHGର ଟଙ୍କା ଖାଇଗଲେ ବ୍ୟାଙ୍କ କର୍ମଚାରୀ ! , ମାମଲା ଏବେ ଥାନାରେ

Balasore News : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଚନ୍ଦନେଶ୍ୱର ଶାଖା ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଏହି ବ୍ୟାଙ୍କର କର୍ମଚାରୀମାନେ କୁଆଡେ ଏସଏଚଜି ଗ୍ରୃଫର ଟଙ୍କା ହଡପ କରିଥିବା ଅଭିଯୋଗ ଆସିଛି ।

Advertisement
SHGର ଟଙ୍କା ଖାଇଗଲେ ବ୍ୟାଙ୍କ କର୍ମଚାରୀ ! , ମାମଲା ଏବେ ଥାନାରେ
Stop
Zee Odisha Desk|Updated: Oct 16, 2022, 06:57 PM IST

Balasore News : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଚନ୍ଦନେଶ୍ୱର ଶାଖା ନାଁରେ ଆସିଛି ସାଂଘାତିକ ଅଭିଯୋଗ ।  ଏହି ବ୍ୟାଙ୍କର କର୍ମଚାରୀମାନେ କୁଆଡେ ଏସଏଚଜି ଗ୍ରୃଫର ଟଙ୍କା ହଡପ କରିଥିବା ଅଭିଯୋଗ ଆସିଛି । ମାମଲା ଏବେ ଥାନାରେ ପହଞ୍ଚିଛି । ଅଭିଯୋଗ ଅନୁଯାୟୀ, କଖଡ଼ା ପଞ୍ଚାୟତ ଚଣ୍ଡୀପୁର ଗାଁର ସନାତନ ପ୍ରଧାନଙ୍କ ପତ୍ନୀ ତଥା ନନ୍ଦିଘୋଷ ସ୍ୱୟଂ ସହାୟିକା ଗୋଷ୍ଠୀର ସମ୍ପାଦିକା ସାଧନା ପ୍ରଧାନ ଗତ ୧୨ ତାରିଖ ତାଙ୍କ ଗାଷ୍ଠୀ ପକ୍ଷରୁ ନେଇଥିବା ଋଣ ଟଙ୍କା ପରିଶୋଧ କରିବା ପାଇଁ ୨ ଲକ୍ଷ ୮୦ ହଜାର ଟଙ୍କା ନେଇ ସ୍ୱାମୀଙ୍କ ସହ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ଚନ୍ଦନେଶ୍ୱର ଶାଖାରେ ପହଞ୍ଚିଥିଲେ । ମାତ୍ର ବ୍ୟାଙ୍କ ମିତ୍ରଙ୍କ ଉପସ୍ଥିତିରେ ବ୍ୟାଙ୍କର କାର୍ଯ୍ୟରତ କିରାଣୀଙ୍କଠାରୁ ଋଣ ହିସାବ ଚିଠା ଆଣିବାକୁ ତାହା ପୂର୍ବରୁ କିରାଣୀ ଲେଖିଦେଇ ଥିବା ଟଙ୍କାଠାରୁ ୭ ହଜାର ୯୦୨ ଟଙ୍କା କମ୍‌ ହୋଇଥିଲା । ଫଳରେ ଗୋଷ୍ଠୀର ସଭ୍ୟାମାନଙ୍କଠାରୁ ସଂଗୃହୀତ ଟଙ୍କା ମଧ୍ୟରୁ ଗୋଟିଏ ୧୦୦ ଟଙ୍କିଆର ୧୦ ହଜାର ଟଙ୍କା ବଣ୍ଡଲକୁ ଭାଙ୍ଗି ସେ ଗୋଟିଏ ୭ ହଜାର ୯୦୦ ଟଙ୍କା ଓ ଅନ୍ୟଟି ୨ ହଜାର ୧୦୦ ଟଙ୍କା ବଣ୍ଡଲ କରିଥିଲେ । 

ତେବେ ଟଙ୍କା ଜମା ଦେଲା ବେଳେ ଭୁଲବଶତଃ ୨ ହଜାର ୧୦୦ ଟଙ୍କାର ବଣ୍ଡଲଟିକୁ ଦେବା ପରିବର୍ତ୍ତେ ୭ ହଜାର ୯୦୦ ଟଙ୍କିଆ ବଣ୍ଡଲଟି ବ୍ୟାଙ୍କ କ୍ୟାସିୟର ହାତକୁ ଦେଇ ଦେଇଥିଲେ । ମାତ୍ର କ୍ୟାସିୟର ଦେଇଥିବା ଜମା ରସିଦରେ ଋଣ ଆକାଉଣ୍ଟ ନଂ ୪୧୬୪୧୪୦୦୯୦୦୧୧୪୩ ରେ ଋଣ ପରିଶୋଧ ବାବଦ ୨ ଲକ୍ଷ ୭୨ ହଜାର ୯୮ ଟଙ୍କାର ୧୧ଟି ବଣ୍ଡଲରେ ଟଙ୍କାର ହିସାବ ସଜ୍ଜୀକରଣ ରହିଥିଲା ।ଏହି ଟଙ୍କା ଜମା ଦେବା ପରେ ସାଧନା ପ୍ରଧାନ ଯେତେବେଳେ ଜାଣିବାକୁ ପାଇଲେ ସେ କ୍ୟାସିୟରଙ୍କୁ ୫ ହଜାର ୮୦୦ ଟଙ୍କା ଅଧିକା ଦେଇ ଦେଇଛନ୍ତି, ସେତେବେଳେ ବ୍ୟାଙ୍କର କ୍ୟାସିୟରଙ୍କୁ ଏକଥା ଜଣାଇଥିଲେ ମଧ୍ୟ ସେ ଏହାକୁ ସ୍ୱୀକାର କରିନଥିଲେ । ଫଳରେ ସେ ବ୍ୟାଙ୍କ ମ୍ୟାନେଜରଙ୍କୁ ଏ ବାବଦରେ ଜଣାଇଥିଲେ । ସନ୍ଧ୍ୟା ୬ଟା ବେଳକୁ କେସ ଚେକ କଲା ପରେ ତାଙ୍କୁ ଦେଖା କରିବାକୁ ମ୍ୟାନେଜର କହିଥିଲେ। ସନ୍ଧ୍ୟାରେ ସେ ବ୍ୟାଙ୍କରେ ପହଞ୍ଚିବାରୁ କେସରୁ ଅଧିକା ଟଙ୍କା ମିଳିନାହିଁ କହି ତହିଁ ପରଦିନ ୧୦ଟା ବେଳକୁ ଦେଖା କରିବାକୁ ମ୍ୟାନେଜର କହିଥିଲେ ।

ତାଙ୍କ କଥାନୁସାରେ, ୧୩ ତାରିଖ ୧୧ଟା ବେଳେ ସେ ବ୍ୟାଙ୍କରେ ପହଞ୍ଚିବାରୁ ସିସି କ୍ୟାମେରା ଫୁଟେଜ ଯାଞ୍ଚ କରିବାକୁ ଦରଖାସ୍ତ ଦେବା ପାଇଁ ମ୍ୟାନେଜର କହିବା ପରେ ସେ ଏଥିପାଇଁ ଏକ ଦରଖାସ୍ତ ଲେଖି ଦେଇଥିଲେ । ଅପରାହ୍ନ ସାଢ଼େ ୪ଟା ବେଳେ ସିସି କ୍ୟାମେରା ଯାଞ୍ଚ କଲା ପରେ ଜଣାପଡ଼ିଥିଲା ଯେ ୧୧ଟି ବଣ୍ଡଲ ହୋଇଥିବା ଟଙ୍କାକୁ ୧୨ ବଣ୍ଡଲ କରି ସେଥିରୁ ଗୋଟିଏ ବଣ୍ଡଲ ଟଙ୍କାକୁ କ୍ୟାସିୟର ନିଜସ୍ୱ ଡାହାଣ ପଟେ ଥିବା ଏକ ପାଣି ବୋତଲ ବ୍ୟାଗରେ ଭର୍ତ୍ତି କରିଥିଲେ । ଏହା ଜାଣିବା ପରେ ବ୍ୟାଙ୍କ ମ୍ୟାନେଜର ଏଥିରେ କିଛି କରି ପାରିବେ ନାହିଁ ବୋଲି କହିଥିଲେ ।

୧୪ ତାରିଖ ଅପରାହ୍ନ ୨ଟା ୩୦ ମିନିଟ ସମୟରେ ନନ୍ଦିଘୋଷ ଏସଏସଜିର ସମସ୍ତ ସଦସ୍ୟା ବ୍ୟାଙ୍କରେ ପହଞ୍ଚି ସେମାନେ ଦେଇଥିବା ବଳକା ଟଙ୍କା ଫେରାଇ ଦେବା ପାଇଁ ମ୍ୟାନେଜରଙ୍କଠାରେ ଦାବି କରିଥିଲେ । ଫଳରେ କ୍ୟାସିୟରଙ୍କୁ ନିଜ କେବିନକୁ ଡାକି ମହିଳାମାନଙ୍କ ସହିତ ଆଲୋଚନା କରିବା ପରେ ଭୁଲବଶତଃ ସେ ନେଇଥିବା ଅଧିକ ୫ ହଜାର ୮୦୦ ଟଙ୍କା ଫେରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କେବିନ ବାହାରକୁ ଆସି ଟଙ୍କା ଦେଇ ନଥିଲେ । ଅପରପକ୍ଷେ ସଂପୃକ୍ତ ମହିଳାମାନଙ୍କୁ ଅପମାନ ଜନକ କଥା କହି ଲଜ୍ଜିତ କରିଥିଲେ । ଫଳରେ ମହିଳାମାନେ ସେଠାରୁ ଫେରି ଶନିବାର ସକାଳେ ସ୍ଥାନୀୟ ତାଳସାରି ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଥାନା ଏଏସଆଇ ଅଘାର ଚନ୍ଦ୍ର ଦାସ ବ୍ୟାଙ୍କରେ ପହଞ୍ଚି ବ୍ୟାଙ୍କ ମ୍ୟାନେଜର  ରାଜା ରୟଙ୍କୁ ପଚରାଉଚରା କରିବା ସହ ଏହି ଘଟଣାର ତଦନ୍ତ କରି ଫେରି ଯାଇଥିବା ଜଣାପଡ଼ିଛି । ତେବେ ତଦନ୍ତ ସମ୍ପର୍କରେ ବ୍ୟାଙ୍କ ମ୍ୟାନେଜରଙ୍କୁ ପଚାରିବାରୁ ଗଣମାଧ୍ୟମକୁ କୌଣସି ସୂଚନା ଦେଇପାରିବେ ନାହିଁ ବୋଲି କହିଥିଲେ ।

ପ୍ରକାଶ ଯେ, ଏହା ପୂର୍ବରୁ ତାରାପୁର ଅଞ୍ଚଳର ବାବା ବୈଦ୍ୟନାଥ ଏସଏଚଜି ଗୋଷ୍ଠୀର ମହିଳାମାନେ ଭୁଲବଶତଃ ୬ ହଜାର ୫୦୦ ଟଙ୍କା ଅଧିକ ଦେଇଥିବା ବେଳେ ସଂପୃକ୍ତ କ୍ୟାସିୟର ସେହି ଟଙ୍କାକୁ ଆତ୍ମସାତ କରି ନେଇଥିଲେ । ଫଳରେ ଏହି ଗୋଷ୍ଠୀର ସମସ୍ତ ସଦସ୍ୟା ଓ ସିଆରପି ଜୟନ୍ତୀ ପ୍ରଧାନ ସନ୍ଧ୍ୟା ପର୍ଯ୍ୟନ୍ତ ବ୍ୟାଙ୍କରେ ଧାରଣାରେ ବସିବା ପରେ ସେହି ଟଙ୍କା ଫେରସ୍ତ ପାଇଥିଲେ । ଅନ୍ୟପକ୍ଷରେ ସଂପୃକ୍ତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଟଙ୍କା ଗଣତି ମେସିନର ଡିସପ୍ଲେକୁn ଜମାକାରୀଙ୍କୁ ନ ଦେଖାଇବା ଏବଂ ଜମାଅର୍ଥ ଅଧିକା ହେଲେ ସଙ୍ଗେ ସଙ୍ଗେ ନ ଫେରେଇବା ବ୍ୟବସ୍ଥାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଜଳେଶ୍ଵର, ଦିଲ୍ଲୀପ ଦାସ

Read More
{}{}